ପାଟିକୁ ଭାରି ସୁଆଦିଆ।ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଙ୍କ ପ୍ରିୟ 'ବରା' ଯାହା ଢେଙ୍କାନାଳକୁ ଦେଇଛି ସ୍ଵତନ୍ତ୍ର ପରିଚୟ।
ପାଟିକୁ ଭାରି ସୁଆଦିଆ।ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଙ୍କ ପ୍ରିୟ 'ବରା' ଯାହା ଢେଙ୍କାନାଳକୁ ଦେଇଛି ସ୍ଵତନ୍ତ୍ର ପରିଚୟ।
ତା୨୪/୦୯/୨୦୨୬, ବୁଧବାର, ଢେଙ୍କାନାଳ।
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ
ଢେଙ୍କାନାଳ ସହ ବରାର ସମ୍ବନ୍ଧ ଅତୁଟ,ଐତିହାସିକ। ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ହେଉଥିବା ଏହି ବରା ଜି ଆଇ ଟ୍ୟାଗ ପାଇବାର ଯୋଗ୍ୟତା ରଖୁଥିବା ଦାବୀ କରନ୍ତି ଢେଙ୍କାନାଳବାସୀ ତେବେ ଅନ୍ୟ ପକ୍ଷରେ ଓଡ଼ିଶାରେ ରସଗୋଲା ଦିବସ,ଦହିବରା ଦିବସ,ଛେନାପୋଡ଼ ଦିବସ,ପଖାଳ ଦିବସ ପାଳି ତାର କ୍ରେଜ କମି ନଥିବା ସମୟରେ ବରା ଦିବସ ପାଳନ ଆରମ୍ଭ ହୋଇଛି।
୨୦୨୩ ମସିହାରୁ ଏପ୍ରିଲ୍ ୭ ତାରିଖକୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ବରା ଦିବସ ରୂପରେ ପାଳନ କରାଯାଇଆସୁଛି।ଏହି ଦିନ ଢେଙ୍କାନାଳବାସୀ ଏକାଠି ହୋଇ ବରା ସମ୍ପର୍କରେ ସ୍ମୃତି,ଅନୁଭୂତି,କଥା,କବିତା ବାଣ୍ଟିବା ସହ ବରା ଖାଇ ଏହି ଦିବସକୁ ପାଳନ କରୁଛନ୍ତି।ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ବରା ଦିବସ ପାଳନ କରାଯାଇଛି ।
ଆସନ୍ତୁ ଜାଣିବା କାହିଁକି ଭିନ୍ନ :- ସକାଳ ହେଉ କି ସନ୍ଧ୍ୟା,ଜଳଖିଆରେ ବରାର ସ୍ଥାନ ସ୍ଵତନ୍ତ୍ର। ଓଡ଼ିଶା ସମେତ ବାହାରେ ବି ଭିନ୍ନଭିନ୍ନ ପ୍ରକାରର ବରା ମିଳେ। ତେବେ ଢେଙ୍କାନାଳ ବରା ଅନ୍ୟ ବରା ଠାରୁ ସ୍ବତନ୍ତ୍ର ଓ ଭିନ୍ନ। ଅନ୍ୟ ଆଡ଼େ ଟିକେ ବିରି ଅଂଶ କମ୍ ରହି ସୁଜି ଅଧିକ ଦିଅଯାଇ ବରା ପ୍ରସ୍ତୁତ ହୁଏ। କିନ୍ତୁ ଢେଙ୍କାନାଳ ବରାରେ ଆଦୌ ସୁଜିର ବ୍ୟବହାର ହୁଏ ନାହିଁ। କଳା ଜିରା ଓ ଅରୁଆ ଚାଉଳ ହିଁ ଏହାର ମୁଖ୍ୟ ଉପାଦାନ । ୬୦/୪୦ ଅନୁପାତରେ ବିରି ଚାଉଳ ବଟା ଯାଏ। କିଛି ସମୟ ବିରି ଫୁଲିବା ପରେ ସେଥିରେ ଅଦା,ଆମ୍ବକସିଆ ଅଦା,କଞ୍ଚାଲଙ୍କା,ଭୃସଙ୍ଗ ପତ୍ର,ଧନିଆ ପତ୍ର ଗୋଟା ଜିରା,ପିଆଜ ପକାଯାଇ ବରା ଛଣା ଯାଏ। ଚାଉଳ ପଡ଼ିଥିବା ବରାର ଉପର ଅଂଶ କଡକଡ଼ିଆ ମୁସମୁସିଆ ହୋଇଥିବା ସମୟରେ ଭିତର ନରମ ହୋଇଥାଏ ଯାହା ଖାଇବାକୁ ସୁଆଦିଆ ଲାଗେ। ସେହିପରି ପ୍ରାୟ ଯାଗାରେ ବରା ଗୋଲ ଆକୃତିର ହୋଇଥିବା ବେଳେ ଢେଙ୍କାନାଳ ବରା ଚେପ୍ଟା। ସ୍ବାଦ ବଢ଼ାଏ
ବ୍ରାହ୍ମଣୀ ପଠାର ବିରି :- ଢେଙ୍କାନାଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ। ନଦୀ ପଠାରେ ବିରି ଚାଷ ହୋଇଥାଏ। ବରା ବ୍ୟବସାୟୀ ମାନେ ଏହି କଳା ବିରି ସଂଗ୍ରହ କରିଥାନ୍ତି। ଏହି ବିରି ହିଁ ଢେଙ୍କାନାଳ ବରାର ବିଶେଷତ୍ଵ। ଏହି ବିରିକୁ ଚୁରା ଯାଇ ପାଣିରେ ଭିଜଯାଏ। ଏହାପରେ ବିରିକୁ ଶିଳରେ ବଟା ଯାଏ। ଧୁଆଯିବା ପରେ ମଧ୍ୟ ସଂପୂର୍ଣ ଚୋପା ଛ଼ାଡି ନଥିବାରୁ ବରା ଉପରେ କଳାକଳା ବିରି ଟୋପା ଟୋପା ଦେଖିବାକୁ ମିଳେ। ବିରି ଅମଳ ସମୟରୁ ହିଁ ବର୍ଷକ ପାଇଁ ଦୋକାନୀ ମାନେ ବିରି ସଂଗ୍ରହ କରି ରଖିଥାନ୍ତି। ସେହିଭଳି ବ୍ରାହ୍ମଣୀ ନଦୀରେ ଅଧିକ ମଇଁଷି ରହୁଥିଲେ। କୁହାଯାଏ ମଇଁଶି ଘିଅରେ ବରା ଛଣା ଯାଉଥିଲା। ପରେ ନଈକୂଳିଆ ବାଦାମ ତେଲରେ ଛଣା ହେଲା।ଏବେ ବାଦମ ତେଲ ସହ ଅନ୍ୟ ତେଲର ବ୍ୟବହାର ମଧ୍ୟ କରାଯାଉଛି।
ଗୀତର ସ୍ବରରେ ବରାର ସ୍ବାଦ :- ଗୀତର ସ୍ୱରରେ ଢେଙ୍କାନାଳ ବରାର ସ୍ଵାଦ ଫୁଟି ରଠେ। ୧୯୮୧ ମସିହାରେ ମୁକ୍ତି ଭାଲ କରିଥିବା ଓଡିଆ କଥାଚିତ୍ର'ଅକ୍ଷିତୃତୀୟା'ର ଗୀତ "ଆସ କିଏ ଖାଇବ ହୋ ଆମ ରଜା ବାବୁଘର ଖାନା... 'ବେଶ୍ ଲୋକପ୍ରିୟ ହୋଇଥିଲା ।ସେହି ଗୀତରେ ଥିଲା ‘ଢେଙ୍କାନାଳର ବିରି ବରା ଖାଇବ ଥରେ ଭଲ,କଟକର ଦହିବରା ପାଶୋରି ଯିବ ନାହିଁ। ଏହା ପରେ ଢେଙ୍କାନାଳ ବିରି ବରାର ପ୍ରସିଦ୍ଧି ଆହୁରି ବଢିଥିବା ପୁରୁଖାମାନେ ମତ ଦିଅନ୍ତି।
ଦେଢ ଶହ ବର୍ଷର ଇତିହାସ :- ସଂସ୍କୃତି ଆଲୋଚକ ପ୍ରଦ୍ୟୁମ୍ନ ରଥଙ୍କ ମତରେ ଦେଢ଼ଶହ ବର୍ଷ ଧରି ରାଜା ଭଗିରଥ ମହେନ୍ଦ୍ର ବାହାଦୂରଙ୍କ ଶାସନ ସମୟରୁ ଢେଙ୍କାନାଳରେ ଏହି ବରା ପ୍ରସ୍ତୁତ ହୋଇଆସୁଛି। ସେ ସମୟରେ କିଛି ଓ ଚାଉଳରେ ଗୁଡ ମିଶାଯାଇ ପୁଳି,ପିଠା ତିଆରି ହୋଇ ଭୋଗ ଲଗାଯାଉଥିଲା। ରାଜା ମହାରାଜାଙ୍କ ପାଇଁ ରାଜନଅରରେ ସୁଆରମାନେ ଏହା ପ୍ରସ୍ତୁତ କରୁଥିଲେ। ପରେ ପରିଚ୍ଛା ସାହୁ,ଗୁଞ୍ଚ ସାହୁ,ସତ୍ୟବାଦୀ ସାହୁ ପ୍ରମୁଖ ସହରରେ ବରା କୁ ନେଇ ବ୍ୟବସାୟ ଆରମ୍ଭ କରିଥିବା କଥା ୪ ପିଢି ହେଲା ବରା ତିଆରି କରିଆସୁଥିବା କାରିଗରମାନେ କୁହନ୍ତି I ପୁରୁଖା ବରା କାରିଗର ସିଦ୍ଧେଶ୍ଵର ସାହୁ ତାଙ୍କ ଜେଜେବାପା ସତ୍ୟବାଦୀ ସାହୁ ବରା ତିଆରି କରୁଥିଲେ । ପରେ ତାଙ୍କ ବାପା ଭାଗବତ ସାହୁଙ୍କ ପରେ ଏବେ ସେ ଓ ତାଙ୍କ ଭାଇ ବରା କରିଆସୁଛନ୍ତି । ସେହିଭଳି କୃଷ୍ଣ ସାହୁଙ୍କ ପୁଅ ଗୋଟିକ ସାହୁ,ନୀତି ପ୍ରସନ୍ନ ସାହୁଙ୍କ ପରେ ଅଣନାତି ପ୍ରସିତ୍ ସାହୁ ସମାନ ଗୁଣବତ୍ତାର ବରା ପ୍ରସ୍ତୁତ କରୁଛନ୍ତି । ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଶା ଆସିଲେ ସେମାନଙ୍କ ଖାଦ୍ୟ ତାଲିକାରେ ସାମିଲ ଥିବା ବରା ଢେଙ୍କାଳାଳରୁ ପ୍ରସ୍ତୁତ ହୋଇ ଯାଇଥାଏ ବୋଲି ସେଠାକାର କିଛି ବ୍ୟକ୍ତି କୁହନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0