ଯାଜପୁର ଜିଲ୍ଲାରେ ‘ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ର ସମୀକ୍ଷା ବୈଠକ*

*ଯାଜପୁର ଜିଲ୍ଲାରେ ‘ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ର ସମୀକ୍ଷା ବୈଠକ* ଯାଜପୁର, ୨୪/୦୯/୨୦୨୬(ଓମ ମିଡ଼ିଆ :ସରୋଜ କୁମାର ଧଳ) ଯାଜପୁର ଜିଲ୍ଲାକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଏବଂ ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀର ମାନ୍ୟବର ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରାଙ୍କ ମିଳିତ ଅଧ୍ୟକ୍ଷତାରେ ‘ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରା ଯକ୍ଷ୍ମା ନିରାକରଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲାକୁ ୨୦୩୦ ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବ୍ଲକରେ ଯକ୍ଷ୍ମା ରୋଗୀଙ୍କ ସକ୍ରିୟ ଚିହ୍ନଟ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା, ବ୍ୟାପକ ସଚେତନତା ସୃଷ୍ଟି କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ନିକ୍ଷୟ ପୋଷଣ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କ ସକ୍ରିୟ ଚିହ୍ନଟ (Active Case Finding), ରୋଗ ନିରୂପଣ, ନିୟମିତ ଚିକିତ୍ସା ଓ ଔଷଧ ଯୋଗାଣ, ଔଷଧ ପ୍ରତିରୋଧୀ ଯକ୍ଷ୍ମା ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଏବଂ ଆବଶ୍ୟକୀୟ ପୋଷଣ ସହାୟତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଘରୋଇ ଓ ସମ୍ପ୍ରଦାୟସ୍ତରରେ ସଚେତନତା ସୃଷ୍ଟି, ଯକ୍ଷ୍ମା ସମ୍ପର୍କିତ ଭ୍ରାନ୍ତ ଧାରଣା ଦୂରୀକରଣ, ପୋଷଣ ସହାୟତା ସମେତ ଯକ୍ଷ୍ମା ନିରାକରଣରେ ପ୍ରଭାବ ପକାଉଥିବା ସାମାଜିକ ନିର୍ଣ୍ଣାୟକଗୁଡ଼ିକର ସମାଧାନ ଏବଂ ଦୃଢ଼ ନିରୀକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନଗେନ୍ଦ୍ରନାଥ ମହାପାତ୍ର ଜିଲ୍ଲାରେ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ବର୍ତ୍ତମାନ ସ୍ଥିତି, ଯକ୍ଷ୍ମା ରୋଗୀ ଚିହ୍ନଟ, ପରୀକ୍ଷା, ଚିକିତ୍ସା ଏବଂ ଧାର୍ଯ୍ୟ ଲକ୍ଷ୍ୟ ହାସଲ ଦିଗରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଯକ୍ଷ୍ମା ରୋଗୀ ଚିହ୍ନଟ ପ୍ରକ୍ରିୟାରେ ଅଧିକ ବିପଦପ୍ରବଣ ବର୍ଗର ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ନେଇ ଆଲୋଚନା ହୋଇଥିଲା। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଏଚ୍‌ଆଇଭି ପଜିଟିଭ୍‌ ବ୍ୟକ୍ତି, ମଧୁମେହ ତଥା ଅନ୍ୟାନ୍ୟ ଅଣସଂକ୍ରାମକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ନିକଟରେ ଯକ୍ଷ୍ମା ଚିହ୍ନଟ ଓ ସ୍କ୍ରିନିଂକୁ ଅଧିକ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଦ୍ୱାର-ଦ୍ୱାର ଅଭିଯାନ ମାଧ୍ୟମରେ ୧୬ଟି ପାରାମିଟର ଆଧାରରେ ବ୍ୟକ୍ତିବିଶେଷଙ୍କ ସ୍କ୍ରିନିଂ, ପ୍ରତିଷେଧକ ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ସ୍ୱତନ୍ତ୍ର ପରିଚୟ ସଂଖ୍ୟା (Unique ID) ଜରିଆରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ଉପଲବ୍ଧ କରାଇବା ଉପରେ ଆଲୋଚନା ହୋଇଥିଲା। ଯାଜପୁର ଜିଲ୍ଲାକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଚିକିତ୍ସାଧିକାରୀ, ସମ୍ପୃକ୍ତ ବିଭାଗ ଏବଂ ସମୁଦାୟର ସମନ୍ୱିତ ପ୍ରୟାସକୁ ଆହୁରି ସୁଦୃଢ଼ କରି ଜାରି ରଖିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଏଡିପିଏଚ୍‌ଓ (ଟିବି) ଡା. ଗୋପାଳ ଚନ୍ଦ୍ର ମଲ୍ଲିକ, ଏଡିପିଏଚ୍‌ଓ (ଡିସି) ଡା. ରମେଶ ଚନ୍ଦ୍ର ମଲ୍ଲିକ, ଡିଏମ୍‌ଓ-କମ୍-ଏମ୍‌ଏସ୍‌ ଡା. ମନୋଜ କୁମାର ସେନାପତି, ଡିପିଏମ୍‌ ଶ୍ରୀ ବିଶ୍ୱରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାର ସମସ୍ତ ମେଡିକାଲ ଅଫିସର, ଏସ୍‌ଟିଏସ୍‌, ଏସ୍‌ଟିଏଲ୍‌ଏସ୍‌, ଜିଲ୍ଲାସ୍ତରୀୟ କର୍ମଚାରୀ ଏବଂ ସମ୍ପୃକ୍ତ ୱିଙ୍ଗ୍‌ ଅଫିସରମାନେ ବୈଠକରେ ଯୋଗଦେଇଥିଲେ।

Sep 24, 2026 - 19:17
 0  5
ଯାଜପୁର ଜିଲ୍ଲାରେ ‘ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ର ସମୀକ୍ଷା ବୈଠକ*

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0