ଅଗ୍ନିକାଣ୍ଡରେ ପାଉଁଶ ହେଲା ଘର, ଭାଙ୍ଗିଗଲା ପରିବାରର ସ୍ବପ୍ନ,
ଅଗ୍ନିକାଣ୍ଡରେ ପାଉଁଶ ହେଲା ଘର, ଭାଙ୍ଗିଗଲା ପରିବାରର ସ୍ୱପ୍ନ
******************************
ଜଳିଗଲା ଘର… ପୋଡ଼ିଗଲା ସ୍ୱପ୍ନ…
ଆଜି ପାଉଁଶ ଭିତରେ ନିଜର ହରାଇଥିବା ସ୍ୱପ୍ନକୁ ଖୋଜୁଛି ଗୋଟିଏ ଅସହାୟ ପରିବାର।
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ଅବଜୁଣା ପଞ୍ଚାୟତର ସୋମନାଥପୁର ଗାଁରେ ଘଟିଛି ଏହି ହୃଦୟବିଦାରକ ଅଗ୍ନିକାଣ୍ଡ। ଗୟାଧର ସ୍ୱାଇଁଙ୍କ ଘରେ ବିଳମ୍ବିତ ରାତିରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ହେବାରୁ ଭୟାବହ ନିଆଁ ଲାଗିଥିଲା।
ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଚାହୁଁ ଚାହୁଁ ଚାରି ବଖରା ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଗଲା। ଘରେ ରଖିଥିବା ଧାନ, ଚାଉଳ, ଆସବାବପତ୍ର, ମୂଲ୍ୟବାନ ଗହଣା ସମେତ ସମସ୍ତ ସମ୍ପତ୍ତି ନଷ୍ଟ ହୋଇଗଲା। ତା ସହିତ, ମାତ୍ର ଦୁଇ ଦିନ ପୂର୍ବରୁ ବ୍ୟାଙ୍କରୁ ଆଣିଥିବା ୫୦ ହଜାର ଟଙ୍କା ଏବଂ ଧାନ ବିକ୍ରି କରି ରଖିଥିବା ୩୨ ହଜାର ଟଙ୍କା ମଧ୍ୟ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।
ସ୍ଥାନୀୟ ଲୋକମାନେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ, କିନ୍ତୁ ସେତେବେଳକୁ ସବୁକିଛି ପାଉଁଶରେ ପରିଣତ ହୋଇଯାଇଥିଲା।
ଏବେ ସେହି ପରିବାର ସମ୍ମୁଖୀନ ହୋଇଛି ଭୟାବହ ସଙ୍କଟରେ। ବ୍ୟାଙ୍କ ଋଣ କେମିତି ଶୋଧ କରିବେ? କେମିତି ପୁଣିଥରେ ନୂଆ କରି ଜୀବନ ଗଢ଼ିବେ? ଏହି ଚିନ୍ତା ତାଙ୍କୁ ଗ୍ରାସ କରୁଛି।
ଜୀବନଭରି ଖଟିଖଟି ଯାହା କିଛି ସଂଚୟ କରିଥିଲେ, ସେସବୁ ମୁହୂର୍ତ୍ତରେ ନଷ୍ଟ ହୋଇଗଲା। ଏବେ ପାଉଁଶ ଭିତରୁ ହରାଇଥିବା ମୂଲ୍ୟବାନ ସମ୍ପତ୍ତି ଓ ସ୍ମୃତିକୁ ଖୋଜୁଛନ୍ତି ସେହି ପରିବାର।
ଏହି ଅଗ୍ନିକାଣ୍ଡ କେବଳ ଗୋଟିଏ ଘରକୁ ନୁହେଁ, ଗୋଟିଏ ପରିବାରର ଆଶା, ସ୍ୱପ୍ନ ଓ ଭବିଷ୍ୟତକୁ ମଧ୍ୟ ପୋଡ଼ି ପାଉଁଶ କରିଦେଇଛି।
ସିମୁଳିଆରୁ ସମୀର ସାହୁଙ୍କ ରିପୋର୍ଟ, ଓମ୍ ମିଡିଆ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0