ଧର୍ମଶାଳାରେ କଠଣିସ୍ୱର ପାହାଡ଼ରୁ ମାଟି ଉଠାଣ ଲୁଟ,,

*ଧର୍ମଶାଳାରେ କଠଉଣିଶ୍ୱର ପାହାଡରୁ ମାଟି ଉଠାଣ ଲୁଟ୍* *ଅବୈଧ କାର୍ଯ୍ୟକଳାପ ନେଇ ପ୍ରଶାସନର ନିରବତା, ତହସିଲ ବନବିଭାଗ ପୋଲିସ ଭୂମିକା ଉପରେ ପ୍ରଶ୍ନ* ▪ କଠଉଣିଶ୍ୱର ପାହାଡ ଅଞ୍ଚଳରୁ ଗତ କିଛି ଦିନ ଧରି ବ୍ୟାପକ ଭାବରେ ମାଟି ଉଠାଣ ଅଭିଯୋଗ। ▪ ରାତିରେ ଭାରୀ ଯନ୍ତ୍ର ବ୍ୟବହାର କରି ପାହାଡ କାଟାଯାଉଥିବା କଥା ସ୍ଥାନୀୟ ଲୋକଙ୍କ ଦାବି। ▪ ମାଟି ଭର୍ତ୍ତି ଟ୍ରକ ନାକପୋଲ–କବାଟବନ୍ଧ ରାସ୍ତା କାମ ପାଇଁ ବୋହି ନିଆଯାଉଥିବା ଚର୍ଚ୍ଚା। ▪ ଅନୁମତି, ଲିଜ୍ ଓ ଖଣିଜ ପରିବହନ ଚାଲାଣ ରହିଛି କି ନାହିଁ—ସ୍ପଷ୍ଟତା ନେଇ ପ୍ରଶ୍ନ। ▪ ତହସିଲ, ବନବିଭାଗ ଓ ପୋଲିସ ଭୂମିକା ଉପରେ ସ୍ଥାନୀୟ ମହଲର ସନ୍ଦେହ। ▪ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ କଠୋର କାର୍ଯ୍ୟନୁଷ୍ଠାନ ଦାବି। ଯାଜପୁର ୧୧/୦୩(ଓମ ମିଡିଆ ଏଡିଟର:ସରୋଜ କୁମାର ଧଳ) ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା ମୌଳାଭଞ୍ଜ ଜଙ୍ଗଲ କିସମ ପାହାଡ ସଂଲଗ୍ନ ୧ ନମ୍ବର ପାହାଡ ଅଞ୍ଚଳରୁ ଗତ ତିନି ଦିନ ଧରି ବ୍ୟାପକ ଭାବରେ ମାଟି ଉଠାଣ ହେଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଦାର ହୋଇପଡିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ରାତିର ଅନ୍ଧାରରେ ହିଟାଚି ମେସିନ ଓ ଭାରୀ ଯାନ ବ୍ୟବହାର କରି ପାହାଡକୁ କାଟି ବହୁ ପରିମାଣରେ ମାଟି ଉଠାଯାଉଛି ଏବଂ ଟ୍ରକ ଯୋଗେ ଅନ୍ୟ ସ୍ଥାନକୁ ବୋହି ନିଆଯାଉଛି। ଏହି ମାଟିକୁ ନାକପୋଲ–କବାଟବନ୍ଧ ଅଞ୍ଚଳରେ ପୂର୍ତ୍ତ ବିଭାଗ ଦ୍ୱାରା ଚାଲୁଥିବା ରାସ୍ତା ପ୍ରଶସ୍ତିକରଣ କାମରେ ବ୍ୟବହାର କରାଯାଉଛି । ସ୍ଥାନୀୟ ମହଲର ଅଭିଯୋଗ ଅନୁଯାୟୀ ଏହି ମାଟି ଉଠାଣ ପାଇଁ ଆବଶ୍ୟକ ସରକାରୀ ଅନୁମତି, ଖଣିଜ ପରିବହନ ଚାଲାଣ କିମ୍ବା ବୈଧ ଲିଜ୍ କି ନାହିଁ । ଯଦି ଏହି କାର୍ଯ୍ୟକଳାପ ଅନୁମତି ବିନା ହେଉଥାଏ, ତେବେ ଏହା ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ) ଆକ୍ଟ, ୧୯୫୭ ର ଧାରା ୪ ଓ ୨୧ ସହିତ ଓଡ଼ିଶା ମାଇନର୍ ମିନେରାଲ୍ କନସେସନ୍ ନିୟମ, ୨୦୧୬ ର ଉଲ୍ଲଂଘନ ହେବା ସମ୍ଭାବନା ଥିବାକୁ ଜଣାପଡ଼ିଛି। ଏହା ସହିତ ଯଦି ସରକାରୀ ରାଜସ୍ୱ ଜମି କିମ୍ବା ପାହାଡ ଅଞ୍ଚଳରୁ ଅନୁମତି ବିନା ମାଟି ଉଠାଣ କରାଯାଉଥାଏ, ତେବେ ଏହା ଓଡ଼ିଶା ଲ୍ୟାଣ୍ଡ ଏନକ୍ରୋଚ୍ମେଣ୍ଟ ପ୍ରିଭେନସନ୍ ଆକ୍ଟ, ୧୯୭୨ ର ମଧ୍ୟ ଉଲ୍ଲଂଘନ ହେବାକୁ ସମ୍ଭାବନା ରହିଛି। ଅନ୍ୟପଟେ ଯଦି ଏହି ଅଞ୍ଚଳ ବନବିଭାଗ ଅଧୀନରେ ପଡ଼ୁଥାଏ, ତେବେ ଫରେଷ୍ଟ କନଜରଭେସନ୍ ଆକ୍ଟ, ୧୯୮୦ ଓ ଇଣ୍ଡିଆନ୍ ଫରେଷ୍ଟ ଆକ୍ଟ, ୧୯୨୭ ଅନୁଯାୟୀ ପୂର୍ବ ଅନୁମତି ବିନା ପାହାଡ କାଟିବା ଆଇନଗତ ଭାବେ ଅପରାଧ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଏପରି ବ୍ୟାପକ ମାଟି ଉଠାଣ ଘଟଣା ଦିନକୁ ଦିନ ଚାଲିଥିବା ସତ୍ତ୍ୱେ ପ୍ରଶାସନିକ ବିଭାଗଗୁଡ଼ିକ କାହିଁକି ନିରବ ରହିଛନ୍ତି। ଖଣିଜ ସମ୍ପଦ ଓ ରାଜସ୍ୱ ଜମି ସୁରକ୍ଷା ପାଇଁ ତହସିଲ ପ୍ରଶାସନର ପ୍ରାଥମିକ ଦାୟିତ୍ୱ ଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି କଠୋର ପଦକ୍ଷେପ ଦେଖିବାକୁ ମିଳୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହା ସହିତ ଡାଳିଯୋଡା ବନବିଭାଗ ଓ ଜେନାପୁର ପୋଲିସର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ପ୍ରତିଦିନ ମାଟି ଭର୍ତ୍ତି ଟ୍ରକ ଅଞ୍ଚଳ ମାଧ୍ୟମରେ ଚଳାଚଳ କରୁଥିବା ସତ୍ତ୍ୱେ କୌଣସି ଯାଞ୍ଚ କିମ୍ବା ଆଇନଗତ କାର୍ଯ୍ୟନୁଷ୍ଠାନ ହେଉନଥିବାରୁ ପ୍ରଶାସନିକ ନିଷ୍କ୍ରିୟତା ନେଇ ସନ୍ଦେହ ସୃଷ୍ଟି ହେଉଛି। ସ୍ଥାନୀୟ ମହଲର ମତାନୁସାରେ ଧର୍ମଶାଳା ଅଞ୍ଚଳରେ ଦୀର୍ଘଦିନ ଧରି ମାଟି, ବାଲି, ମୋରମ ଓ କଳାପଥର ଉଠାଣ ନେଇ ଅଭିଯୋଗ ଉଠୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ପ୍ରଭାବଶାଳୀ ନିୟନ୍ତ୍ରଣ ହୋଇପାରିନାହିଁ। ରାଜ୍ୟରେ ୨୪ ବର୍ଷର ଶାସନ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏପରି ଅଭିଯୋଗ ଜାରି ରହିବା ସ୍ଥାନୀୟ ମହଲରେ ଆଲୋଚନାର ବିଷୟ ହୋଇପଡ଼ିଛି। ଅଞ୍ଚଳବାସୀଙ୍କ ମତାନୁସାରେ କଠଉଣିଶ୍ୱର ପାହାଡ ଅଞ୍ଚଳରେ ଚାଲୁଥିବା ମାଟି ଉଠାଣ କାର୍ଯ୍ୟକଳାପ ପଛରେ ସ୍ଥାନୀୟ ଶାସକ ନେତାଙ୍କ ସମର୍ଥନ ଥିବା ନେଇ ଚର୍ଚ୍ଚା ଚାଲିଛି। ଯଦିଓ ଏହା ସମ୍ପର୍କରେ ପ୍ରଶାସନିକ ସ୍ତରରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ପରିସ୍ଥିତିରେ ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅବୈଧ ମାଟି ଉଠାଣ ପଛରେ କିଏ ଅଛନ୍ତି ଓ କାହାର ସହଯୋଗରେ ଏହା ଚାଲୁଛି ତାହା ସାମ୍ନାକୁ ଆଣିବାକୁ ଅଞ୍ଚଳବାସୀ ଦା vବି କରିଛନ୍ତି। ନଚେତ ପ୍ରାକୃତିକ ସମ୍ପଦର ଏହି ଖୋଲା ଲୁଟ୍ ଆଗାମୀ ଦିନରେ ଆଉରି ଭୟାବହ ରୂପ ନେବ ବୋଲି ସ୍ଥାନୀୟ ମହଲ ଆଶଙ୍କା ପ୍ରକାଶ କରିଛି ।

Mar 11, 2026 - 20:11
Mar 11, 2026 - 20:14
 0  18
ଧର୍ମଶାଳାରେ କଠଣିସ୍ୱର ପାହାଡ଼ରୁ ମାଟି ଉଠାଣ ଲୁଟ,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0