ଭାପୁର-ଛଦେଶ ଅଞ୍ଚଳରେ ବଢୁଛି ଅବାଧ ଚୋରା ଦେଶୀ-ବିଦେଶୀ ମଦ କାରବାର।
ଭାପୁର-ଛଦେଶ ଅଞ୍ଚଳରେ ବଢୁଛି ଅବାଧ ଚୋରା ଦେଶୀ-ବିଦେଶୀ ମଦ କାରବାର। ଢେଙ୍କାନାଳ ସଦର, ଢେଙ୍କାନାଳ : ୨୮/୧୦/୨୦୨୬, ବୁଧବାର। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ। ଭାପୁର-ଛଦେଶ ଅଞ୍ଚଳରେ ଅବାଧ ମଦ କାରବାର ବେଳକୁ ବେଳ ବଢିବାରେ ଲାଗିଛି।ବିଭିନ୍ନ ଗ୍ରାମାଞ୍ଚଳରେ ବେଧଡ଼କ ନିଶା କାରବାର ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ: ଗାଁ ଗହଳିରେ ପାନ ଦୋକାନଠାରୁ ଆରମ୍ଭ କରି ରାସନ ଦୋକାନ,ହୋଟେଲ,ଢାବା ଆଦିରେ ଦେଶୀ ଓ ବିଦେଶୀ ମଦ ମିଳୁଛି। ଭାପୁରର ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଚୋରାରେ ପେଟି ପେଟି ବିଦେଶୀ ମଦ ଗାଁ ଗହଳିର ଚୋରା ଦୋକାନୀ ମାନଙ୍କୁ ଖୁଲମ ଖୋଲା ବିକ୍ରି ହେଉଛି ବୋଲି ଅଭିଯୋଗ ହେଉଛି। ଅବକାରୀ ବିଭାଗ କାଁ ଭାଁ ଚଢ଼ାଉ କରି ଛୋଟ ମୋଟ ବେପାରୀଙ୍କୁ ଧରୁଥିବା ବେଳେ ବଡ ମାଫିଆଙ୍କ ଟେର୍ ପାଇପାରୁନି ବୋଲି ଚର୍ଚ୍ଚା ହେଉଛି।ବିଭାଗର କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ମଦ ମାଫିଆଙ୍କ ସହ ସଲାସୁତୁରା କରି ଚୋରା କାରବାରକୁ ସମର୍ଥନ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ଏପରି ସ୍ଥଳେ ଚଢ଼ାଉ ବେଳେ ବିପୁଳ ପରିମାଣର ମଦ ଜବତ କରାଯାଉଥିବା ବେଳେ କାଗଜପତ୍ରରେ କମ୍ ପରିମାଣ ଦର୍ଶାଇ ଦଫାକୁ କୋହଳ କରି ବେଲ୍ ମିଳିବା ବାଟ ଖୋଲା ଯାଉଛି ବୋଲି ମଧ୍ୟ ଅଭିଯୋଗ ଉଠିଛି। ଚୋରା ମଦ କାରବାର ଚାଲିଥିବା ଅଞ୍ଚଳ ଗୁଡିକ: ଭାପୁର ଗାଁର ଶବରସାହି,ଧୋବାସାହି, ଗୋଡିସାହି,ଗଞ୍ଜେଇଡିହ,କଦମ୍ବପାଳ,କାକୁଡିଭାଗ, ରଥପଦା,ରଥିଆପାଳ,ଭାଗିରଥୀପୁର, କାଞ୍ଜିଆବେରେଣି,ବିମ୍ବୋଳ,ବାଲ୍ୟମ୍ବା,ଅଉଖମା,ଶଙ୍କରପୁର,କୋରଙ୍ଗା,ଧୀରପାଟଣା, କଳାଙ୍ଗ,ହଖମଣି,ଘଟିପିରି,ମହୁଲପୁଞ୍ଜିର ହରିପୁର ଆଦି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଚାଲିଛି। ବିଶେଷ କରି ପାଉଚ୍ ମଦ ଖୁଲମଖୋଲା ବିକ୍ରି ହେଉଛି ଏବଂ କୋରଙ୍ଗାରେ ମହୁଲ ମଦ ପ୍ରସ୍ତୁତ କରି ଗାଁ ଗଣ୍ଡାକୁ ଚାଲାଣ ହେଉଛି ବୋଲି ଅଭିଯୋଗ ହେଉଥିବା ବେଳେ ଏ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିକଟରେ ଦାବି ହୋଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0