ମାଙ୍କଡ଼ା ପଥର ମାଫିଆଙ୍କ ଚରାଭୂଇଁ ଇନ୍ଦିପୁର।ବେଆଇନ ଭାବେ ଚାଲିଛି ୩୦ରୁ ଊର୍ଦ୍ଧ୍ୱ ଖଣି,ନକଲି ଟ୍ରାଞ୍ଜିଟ୍ ପାସ୍ରେ ପଥର ଚୋରାଚାଲାଣ ଅଭିଯୋଗ।
ମାଙ୍କଡ଼ା ପଥର ମାଫିଆଙ୍କ ଚରାଭୂଇଁ ଇନ୍ଦିପୁର।ବେଆଇନ ଭାବେ ଚାଲିଛି ୩୦ରୁ ଊର୍ଦ୍ଧ୍ୱ ଖଣି,ନକଲି ଟ୍ରାଞ୍ଜିଟ୍ ପାସ୍ରେ ପଥର ଚୋରାଚାଲାଣ ଅଭିଯୋଗ।
ତା୧୧/୦୮/୨୦୨୬, ମଙ୍ଗଳବାର।ଇନ୍ଦିପୁର,ଢେଙ୍କାନାଳ।
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ ଅଧୀନରେ ଇନ୍ଦିପୁର ରାଜସ୍ୱ ସର୍କଲ ଅଞ୍ଚଳ ଏବେ ମାଙ୍କଡ଼ା ପଥର ମାଫିଆଙ୍କ ଚରାଭୂଇଁ ପାଲଟିଥିବା ଅଭିଯୋଗ ହୋଇଛି। ଇନ୍ଦିପୁର,ଖୁଣ୍ଟୁଝରୀ,ଗୁଣ୍ଡୁରାପଶି ଆଦି ଅଞ୍ଚଳରେ ଛତୁ ଫୁଟିଲା ଭଳି ୩୦ରୁ ଊର୍ଦ୍ଧ୍ୱ ବେଆଇନ ମାଙ୍କଡ଼ା ପଥର ଖଣି ଚାଲିଥିବା ବେଳେ ଦିନରାତି ପଥର କଟାଯାଇ ଟ୍ରକ୍ ଓ ଟ୍ରାକ୍ଟର ଯୋଗେ ଚୋରାଚାଲାଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୁଣ୍ଡୁରାପଶି ଅଞ୍ଚଳରେ ନିଲାମ ହୋଇଥିବା ଖଣିରୁ ପଥର ଉତ୍ତୋଳନ କରିବା ବଦଳରେ ଏହାର ଆଖପାଖରେ ଥିବା ନିଲାମ ହୋଇନଥିବା ଜଙ୍ଗଲ ଜମି ଓ ଅନ୍ୟ ସରକାରୀ ଜମିରୁ ବେଆଇନ ଭାବେ ପଥର କଟାଯାଉଥିବା ଅଭିଯୋଗ ହୋଇଛି।
ଏହି ଅଞ୍ଚଳରେ ପ୍ରାୟ ୧୧ ମାସ ତଳେ ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପରେ ବେଆଇନ ଖଣି କାରବାରର ଗୁମର ପଦାକୁ ଆସିଥିଲା। ସ୍ଥାନୀୟ ଗୁଣ୍ଡିଚାପଡ଼ା ପଞ୍ଚାୟତ ଅନ୍ତର୍ଗତ ବେଶାଳିଆ ଗ୍ରାମର ଅକ୍ଷୟ ନାଏକଙ୍କ ମୃତଦେହ ସକାଳୁ ଏକ ଖଣି ମଧ୍ୟରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହା ହତ୍ୟାକାଣ୍ଡ ବୋଲି ପରିବାର ଓ ଗ୍ରାମବାସୀ ଅଭିଯୋଗ କରି ରାସ୍ତାରୋକ କରିଥିଲେ। ଘଟଣାଟି ସେତେବେଳେ ବେଆଇନ ଖଣି କାରବାରକୁ ନେଇ ଅଞ୍ଚଳରେ ଚାଲିଥିବା ଚର୍ଚ୍ଚାକୁ ତୀବ୍ର କରିଥିଲା। ଅଭିଯୋଗ ଅନୁଯାୟୀ,ଇନ୍ଦିପୁର ଅଞ୍ଚଳର ରାଜସ୍ୱ,ଗୋଚର ଓ ଜଙ୍ଗଲ କିସମ ଜମିକୁ ମନଇଚ୍ଛା ତାଡ଼ି ମାଙ୍କଡ଼ା ପଥର ଲୁଟ୍ କରାଯାଉଛି। ପଥର କାଟିବା ପରେ ନକଲି ଟ୍ରାଞ୍ଜିଟ୍ ପାସ୍ ବ୍ୟବହାର କରି ଏହାକୁ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ଅଭିଯୋଗ ମଧ୍ୟ ରହିଛି।
ଭାଲିଆବୋଲକାଟେଣୀ ପଞ୍ଚାୟତ ରାସ୍ତା ଦେଇ ଗୋହିରାଖାଲ ଛକ,ଲମ୍ବୋଦରପୁର,କୋଇଲିପଙ୍ଗି,ଭାପୁର ଛକ ଆଦି ଅଞ୍ଚଳ ଦେଇ ପ୍ରତିଦିନ ଶହ ଶହ ଟ୍ରିପ୍ ପଥର ଚାଲାଣ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ଚୋରା କାରବାର ଯୋଗୁଁ ସରକାରଙ୍କ ବ୍ୟାପକ ରାଜସ୍ୱ କ୍ଷତି ହେଉଥିବା ବେଳେ ମାଫିଆମାନେ ଲକ୍ଷଲକ୍ଷ ଟଙ୍କା ଲାଭ କରୁଥିବା ଅଭିଯୋଗ ହୋଇଛି। ଭାରୀଯାନ ଚଳାଚଳ ଯୋଗୁଁ ଗ୍ରାମ୍ୟ ରାସ୍ତାଗୁଡ଼ିକ ଖାଲଖମାରେ ପରିଣତ ହୋଇପଡ଼ିଛି।
ଅନ୍ୟପଟେ ଜଙ୍ଗଲ ଜମିରୁ ଗଛ କାଟି ପଥର ଉତ୍ତୋଳନ କରାଯାଉଥିବାରୁ ପରିବେଶ ଓ ଜଙ୍ଗଲ ସମ୍ପଦ ମଧ୍ୟ ବିପନ୍ନ ହେଉଛି। ଏହି ଅଞ୍ଚଳରେ ବେଆଇନ ଖଣି ଚାଲିଥିବା ବେଳେ ତିନି ବର୍ଷ ତଳେ ଚଢ଼ଉ କରିବାକୁ ଯାଇ ତତ୍କାଳୀନ ଉପଜିଲ୍ଲାପାଳ ତଥା ଆଇଏଏସ୍ ଅଧିକାରୀ ବିଭୂତି ଭୂଷଣ ନାୟକ ପଥର ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିବା ଘଟଣା ମଧ୍ୟ ଚର୍ଚ୍ଚାରେ ରହିଛି। ତାଙ୍କ ଡ୍ରାଇଭରଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏପରି ଘଟଣା ପରେ ପୁଲିସ,ରାଜସ୍ୱ,ଜଙ୍ଗଲ ଓ ଖଣି ବିଭାଗ ମଧ୍ୟରେ ସମନ୍ୱୟ ରଖି ଚଢ଼ଉ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା ଏବେ କେତେଦୂର କାର୍ଯ୍ୟକାରୀ ହେଉଛି,ତାହାକୁ ନେଇ ପ୍ରଶ୍ନ ଉଠିଛି।
ଅଭିଯୋଗକାରୀମାନେ ଆହୁରି କହିଛନ୍ତି ଯେ,ଢେଙ୍କାନାଳ ସଦର ଥାନାଠାରୁ ମାତ୍ର ପ୍ରାୟ ୨ କିଲୋମିଟର ଦୂରରେ ଇନ୍ଦିପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ମଧ୍ୟ ପଥର କାରବାର ଚାଲିଥିବା ଅଭିଯୋଗ ରହିଛି। ଏତେ ନିକଟରେ ଦୀର୍ଘଦିନ ଧରି ବେଆଇନ ଖଣି ଓ ପଥର ପରିବହନ ଚାଲୁଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ନୀରବ ରହିବା ସାଧାରଣରେ ପ୍ରଶ୍ନବାଚୀ କରିଛି। ଳ
ତେବେ ଖଣି ମାଫିଆଙ୍କ ସହ ସରକାରୀ ଅଧିକାରୀ କିମ୍ବା ସ୍ଥାନୀୟ ଜନପ୍ରତିନିଧିଙ୍କ ମଧ୍ୟରେ ଅର୍ଥ କାରବାର ଓ ସଲାସୁତୁରା ଥିବା ନେଇ ହୋଇଥିବା ଅଭିଯୋଗର ସ୍ୱତନ୍ତ୍ର ତଦନ୍ତ ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।ଏହି ଅଭିଯୋଗର ସତ୍ୟତା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ।
ବେଆଇନ ଖଣି ଯୋଗୁଁ ଲୋକଙ୍କ ଜୀବନ ସୁରକ୍ଷା,ପରିବେଶ ଓ ସରକାରୀ ରାଜସ୍ୱ ଉପରେ ବଡ଼ ପ୍ରଶ୍ନ ଉଠିଥିବା ବେଳେ ଇନ୍ଦିପୁର ଅଞ୍ଚଳରେ ତୁରନ୍ତ ମିଳିତ ଚଢ଼ଉ କରି ବେଆଇନ ଖଣି ବନ୍ଦ,ଯନ୍ତ୍ରପାତି ଜବତ,ଚୋରା ପଥର ପରିବହନ ରୋକିବା ଓ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0