ଯାଜପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ,,,

ଯାଜପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ -- ଯୋଗ ଦ୍ୱାରା ସୁସ୍ଥତା ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ଭାରତର ସଫ୍ଟ ପାୱାର ବୃଦ୍ଧି ହେଉଛି: ସମବାୟ ମନ୍ତ୍ରୀ -- ଯୋଗ ଶିବିରରେ ସାମିଲ ହେଲେ ୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଜନସାଧାରଣ ଓ ସ୍ୱେଚ୍ଛାସେବୀ -- ରତ୍ନଗିରି ଐତିହ୍ୟ ସ୍ଥଳରେ ମଧ୍ୟ ଆୟୋଜିତ ହେଲା ଯୋଗ ଦିବସ ଯାଜପୁର, ୨୧/୦୬/୨୬(ଓମ ମିଡ଼ିଆ: ସରୋଜ କୁମାର ଧଳ) ଯୋଗ କେବଳ ଉନ୍ନତ ସ୍ୱାସ୍ଥ୍ୟ ଗଠନ ପାଇଁ ନୁହେଁ, ବରଂ ଭାରତର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରୁଥିବା ଏକ ଶକ୍ତିଶାଳୀ ମାଧ୍ୟମ। ଯୋଗ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି, ରୋଜଗାର ସୃଷ୍ଟି, ସୁସ୍ଥତା ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଭାରତର ସଫ୍ଟ ପାୱାର ଓ ସାଂସ୍କୃତିକ ପ୍ରଭାବ ବୃଦ୍ଧି ପାଇଥାଏ ବୋଲି ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦିପ ବଳସାମନ୍ତ କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ବଳସାମନ୍ତ, ଜିଲ୍ଲାପାଳ ଅମ୍ବର କୁମାର କର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ମହାନ୍ତି ଯୋଗ ଦେଇଥିଲେ। ସକାଳ ୬ ରୁ ୭ ଘଟିକା ମଧ୍ୟରେ ଅଂଶଗ୍ରହଣକାରୀଙ୍କ ପଞ୍ଜୀକରଣ ହୋଇଥିଲା। କାର୍ଯ୍ୟକ୍ରମ ଉଦଘାଟନ ହେବା ପରେ ଯୋଗାସନ ଓ ପ୍ରାଣାୟାମ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିପାଇଁ ସ୍ୱତନ୍ତ୍ର ଯୋଗ ପ୍ରଶିକ୍ଷକ ନିୟୋଜିତ ହୋଇଥିଲେ। ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ ଯେ ଆଜିର ବ୍ୟସ୍ତ ଜୀବନରେ ଲୋକମାନେ ବିଭିନ୍ନ ଶାରୀରିକ ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାନସିକ ଅବସାଦ, ଉଚ୍ଚ ରକ୍ତଚାପ, ମେଦ ବହୁଳତା ଭଳି ରୋଗ ଦିନକୁ ଦିନ ବଢିଚାଲିଛି। ଏହି ପରିସ୍ଥିତିରେ ଯୋଗ ଏକ ପ୍ରାକୃତିକ ଓ ପ୍ରଭାବଶାଳୀ ଉପାୟ ଭାବେ କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ କହିଥିଲେ। ଏହାସହ ପ୍ରତ୍ୟେକ ଦିନ ୨୦ ରୁ ୩୦ ମିନିଟ ଯୋଗାଭ୍ୟାସ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି ଯୋଗ ଶିବିରରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ସ୍କୁଲ କଲେଜ ଛାତ୍ରଛାତ୍ରୀ, ମହିଳା, ଜନସାଧାରଣ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାଗ ନେଇଥିଲେ। ସେହିଭଳି ଚଳିତ ବର୍ଷ ଏକ ଅଭିନବ ଢଙ୍ଗରେ ଐତିହ୍ୟ ସ୍ଥଳଗୁଡ଼ିକରେ ଯୋଗ ଦିବସ ପାଳନ ହୋଇଛି। ସେହିକ୍ରମରେ ଯାଜପୁରର ରତ୍ନଗିରିଠାରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସରେ ଜନସାଧାରଣ ସାମିଲ ହୋଇଥିଲେ। ରତ୍ନଗିରିରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇଥିଲେ। ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସମାଜସେବୀ ଦେବଯାନୀ ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଅତିରିକ୍ତ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସବିତା ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହାସହ ଜିଲ୍ଲାର ବିଭିନ୍ନ ବ୍ଲକ, ମୁନିସିପାଲିଟି, ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଥିଲା।

Jun 21, 2026 - 21:44
 0  2
ଯାଜପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ,,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0