ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ -୨୦୨୬_କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଗ୍ରାମେଶ୍ୱର୍ ନୋଡାଲ୍ ବିଦ୍ୟାପୀଠ,ନଳଦିଆ ଶାସନ,ଗତାନ ଈ,,
ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ -୨୦୨୬_କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଗ୍ରାମେଶ୍ୱର୍ ନୋଡାଲ୍ ବିଦ୍ୟାପୀଠ,ନଳଦିଆ ଶାସନ,ଗତାନ ଈ ପରିସରରେ"ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ -୨୦୨୬"ବ୍ଳକ୍ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।"ପ୍ରତିଭାର ବିକାଶ କର,ସବୁ ଛାତ୍ର ଛାତ୍ରୀ ଭଲ ମଣିଷ ହୁଅ"-ଏଭଳି ମତ ପ୍ରକାଶ ପାଇଛି ଆଜିର ଉତ୍ସବମୁଖର ଉକ୍ତ ସମାବେଶରେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ମହାକାଳପଡ଼ା ବିଧାୟକ ଡଃ ଦୁର୍ଗା ପ୍ରସନ୍ନ ନାୟକ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭା ଉଦ୍ଘାଟନ କରି ଶ୍ରୀ ନାୟକ କହିଲେ ଯେ ବିକଶିତ ଭାରତ ଓ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ଆମକୁ ଶିଶୁମାନଙ୍କୁ ଆଗକୁ ନେବାକୁ ହେବ। ସେମାନେ ହିଁ ଆମ ଦେଶ ଜାତିର ଭବିଷ୍ୟତ। ଏ ବଣମଲ୍ଲୀ ମାନଙ୍କର ମହକକୁ ବିଶ୍ୱ ଦରବାରରେ ପହଞ୍ଚାଇବା ହେଉଛି ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ସେମାନଙ୍କ ଅନ୍ତର୍ନିହିତ ସୁପ୍ତ ଶକ୍ତିକୁ ଜାଗ୍ରତ କରାଇଲେ ସେମାନଙ୍କର ତଥା ଦେଶର ଭବିଷ୍ୟତ ସୁଦୃଢ ହେବ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ମହାକାଳପଡ଼ା ବ୍ଲକ୍ ଚେୟାର ମ୍ୟାନ୍ ମୀରା ରାଣୀ ମହାନ୍ତି, ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ମଲ୍ଲ,ବିଆର୍ ସି ସି ଅକ୍ଷୟ କୁମାର ମହାପାତ୍ର, ଟିଚର୍ସ୍ କୋଅର୍ଡିନେସନ୍ କମିଟିର ସଭାପତି ଅଶୋକ କୁମାର ମହାପାତ୍ର, କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ସରୋଜ କୁମାର ସାହୁ ,ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ମହାନ୍ତି, ପଞ୍ଚାୟତ ପ୍ରମୁଖ ଦିଲ୍ଲୀପ ପରିଡା ଓ ଅଶୋକ ପରିଡ଼ା ମଞ୍ଚାସୀନ ହୋଇ ସ୍ୱକୀୟ ଢ଼ଙ୍ଗରେ ବକ୍ତବ୍ୟ ରଖିଥିଲେ। କଠୋର ପରିଶ୍ରମ ବଳରେ ଯେକେହି ସଫଳତା ଅର୍ଜନ କରିପାରେ, ଏହାଥିଲା ସମସ୍ତଙ୍କ ମନ୍ତବ୍ୟ। ଏହି ଉପଲକ୍ଷେ ଏଗାରଟି ବିଭାଗ ଯଥା- ତର୍କ, ବକ୍ତୃତା,ପ୍ରବନ୍ଧ, ଚିତ୍ରାଙ୍କନ, ସଂଗୀତ, କୁଇଜ୍, ସୃଜନଶୀଳ ଲେଖା ,ଶ୍ରୁତଲିଖନ,ପିଏମ୍ ପୋଷଣ ଆର୍ଟ,ପିଏମ୍ ପୋଷଣ କ୍ରାଫ୍ଟ୍ ,ନୃତ୍ୟ ଆଦିରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ ବିଜ୍ଞ ବିଚାରକ ମଣ୍ଡଳୀ ଦ୍ୱାରା ଯୋଗ୍ୟ ବିବେଚିତ ତଥା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସ଼ହ ପୁରସ୍କୃତ କରାଯାଇଥିଲା। ଏତଦ୍ ଭିନ୍ନ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ବହୁ ପରାଜୟ ପରେ ବିଜୟ ଆସେ, ତେଣୁ ହତାଶ ନ ହୋଇ ନିରନ୍ତର ପ୍ରୟାସ ଜାରି ରଖିବାକୁ ଅନୁପ୍ରାଣିତ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ସଭାର କୋଳ ମଣ୍ଡନ କରିଥିଲେ ମହାକାଳପଡ଼ା ବ୍ଲକ୍ ର ବିଡ଼ିଓ ମନୋଜ ନାୟକ ମହୋଦୟ।ଷାଠିଏ ବାଟି ୟୁଜି ୟୁପି ସ୍କୁଲ୍ ର ପ୍ରଧାନ ଶିକ୍ଷକ ବିଶ୍ୱଭୂଷଣ ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ କରମକୁଳ ୟୁପି ସ୍କୁଲ୍ ର ସହ କାରୀ ଶିକ୍ଷକ ଆଲୋକ ଏସ୍.ଡି. ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ବାସ୍ତବରେ ସାରା ବ୍ଳକ୍ ର ଲଢୁଆ ଛାତ୍ର ଛାତ୍ରୀ, ପିତାମାତା ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଗଣ, ଅଞ୍ଚଳବାସୀ ସମସ୍ତେ ଏକାଠି ହୋଇ ଉପଭୋଗ କରୁଥିଲେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଗ୍ରାମେଶ୍ୱରଙ୍କୁ ସଭିଙ୍କ ମଙ୍ଗଳ ମନାସି ଭାବ ଭକ୍ତିଭରା ପ୍ରଣତି ବାଢୁଥିଲେ ମାନ୍ୟବର ବିଧାୟକ ଶ୍ରୀ ନାୟକ ମହୋଦୟ। ମନ୍ଦିରର କିଛି ଅଧୁରା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାକୁ ବିନମ୍ର ନିବେଦନ କରୁଥିଲେ ଗ୍ରାମର ମୁରବିମାନେ।ସବୁ କ୍ଷେତ୍ରରେ ଶୃଙ୍ଖଳା ଓ ସମନ୍ବୟ ରକ୍ଷା ନିମନ୍ତେ ଦିଗ୍ ଦର୍ଶନ ଦେଇ ଉତ୍ସାହିତ କରୁଥିଲେ ଶୋଭନୀୟ ଆନ୍ଦୋଳନର ଗୁରୁଜୀ ଶ୍ରୀ ଇନ୍ଦ୍ରମଣି ନାୟକ।ସମସ୍ତେ ଅନୁଭବ କରୁଥିଲେ ଗୋଟିଏ କଥା ଯେ ମାତୃଭୂମି ମାତୃ ଭାଷାର ଉନ୍ନତିରେ ହିଁ ଆମର ସୁଖ ଶାନ୍ତି ଓ ମଙ୍ଗଳ ବିଧାନ ହୋଇ ପାରିବ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0