*୮ ମାସ ଧରି ନିଖୋଜ ଯୁବକଙ୍କ ପରିଚୟ ମିଳିଲା, ପରିବାର ପହଞ୍ଚିବା ପୂର୍ବରୁ ଛାଡିଦେବା ଅଭିଯୋଗ*
*୮ ମାସ ଧରି ନିଖୋଜ ଯୁବକଙ୍କ ପରିଚୟ ମିଳିଲା, ପରିବାର ପହଞ୍ଚିବା ପୂର୍ବରୁ ଛାଡିଦେବା ଅଭିଯୋଗ* *ନୁଦଡିହା ଫାଣ୍ଡିରେ ପରିବାରର ଅସନ୍ତୋଷ; ଯୁବକଙ୍କ ସୁରକ୍ଷା ଓ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ* *ଉଦଳା (ଶୁଭାଶିଷ ଚ଼ୌଧୂରୀ):* ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅନ୍ତର୍ଗତ ନୁଦଡିହା ଫାଣ୍ଡିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୮ ମାସ ଧରି ନିଖୋଜ ଥିବା ଉତ୍ତରପ୍ରଦେଶର ଜଣେ ଯୁବକ ନୁଦଡିହା ଅଞ୍ଚଳରେ ମିଳିଥିବା ବେଳେ, ପରିବାର ପହଞ୍ଚିବା ପୂର୍ବରୁ ତାଙ୍କୁ ଛାଡି ଦିଆଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ନାମ ସନ୍ଦୀପ ଶ୍ରୀନିବାସ ବୋଲି ପରିବାର ପକ୍ଷରୁ କୁହାଯାଇଛି। *ଘଟଣା କଣ?* ସୂଚନା ଅନୁଯାୟୀ, ଗତ ୨୫ ତାରିଖ ରାତି ୧୦.୫୯ ମିନିଟ୍ ସମୟରେ ନୁଦଡିହା ଅଞ୍ଚଳରେ ଜଣେ ଅଜଣା ଯୁବକ ସନ୍ଦେହଜନକ ଅବସ୍ଥାରେ ଘୁରୁଥିବା ଦେଖି ସ୍ଥାନୀୟ ଲୋକେ ଚୋରି ସନ୍ଦେହରେ ତାଙ୍କୁ ଫାଣ୍ଡିକୁ ନେଇଥିଲେ। ଫାଣ୍ଡିରେ ପଚରାଉଚରା ବେଳେ ଯୁବକ ଜଣକ ନିଜ ନାମ ଏବଂ ନିଜ ଭାଇଙ୍କ ମୋବାଇଲ୍ ନମ୍ବର ଦେଇଥିଲେ। ଏହା ପରେ ସେ ଉତ୍ତରପ୍ରଦେଶର ବୋଲି ଏବଂ ୮ ମାସ ହେଲା ନିଖୋଜ ଥିବା ଜଣାପଡିଥିଲା। *ପରିବାରର ଅଭିଯୋଗ:* ଖବର ପାଇ ପରିବାର ଲୋକେ ହଜାର ହଜାର କିଲୋମିଟର ଦୂର ଉତ୍ତରପ୍ରଦେଶରୁ ନୁଦଡିହା ଫାଣ୍ଡିରେ ପହଞ୍ଚିଥିଲେ। ହେଲେ ପହଞ୍ଚିବା ବେଳକୁ ଯୁବକ ଫାଣ୍ଡିରେ ନଥିଲେ। ତାଙ୍କୁ ଅନ୍ୟତ୍ର ଛାଡି ଦିଆଯାଇଥିବା ପରିବାର ଅଭିଯୋଗ କରିଛି। ଏବେ ଯୁବକଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ପରିବାର ଚିନ୍ତାରେ ଅଛି। ପରିବାରର ପ୍ରଶ୍ନ - ଜଣେ ମାନସିକ ସ୍ତରରେ ଦୁର୍ବଳ ଥିବା, ଦୀର୍ଘଦିନ ଧରି ନିଖୋଜ ଯୁବକ ମିଳିବା ପରେ ତାକୁ ସୁରକ୍ଷିତ ରଖି ପରିବାର ହାତରେ ହସ୍ତାନ୍ତର କରିବା କଥା, କିନ୍ତୁ ଛାଡି ଦିଆଗଲା କାହିଁକି? କେଉଁଠି ଛଡା ଗଲା, ତାର ରେକର୍ଡ କାହିଁ? *ପୋଲିସର ପକ୍ଷ ଆସିବା ବାକି:* ଏ ନେଇ ନୁଦଡିହା ଫାଣ୍ଡି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସତ୍ୟାସତ୍ୟ ନିରପେକ୍ଷ ତଦନ୍ତ ପରେ ହିଁ ଜଣାପଡିବ। ପରିବାରର ଦାବି - ଯୁବକଙ୍କୁ ତୁରନ୍ତ ଖୋଜି ସୁରକ୍ଷିତ ଭାବେ ଫେରାଇ ଅଣାଯାଉ। ମୟୂରଭଞ୍ଜରୁ ଶୁଭାଶିଷ ଚ଼ୌଧୂରୀଙ୍କ ସହ ମୋନାଲି ସାହୁଙ୍କ ରିପୋର୍ଟ ଓମ ମିଡ଼ିଆ,,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0