ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଥନୀତି ଆଲୋଚନାଚକ୍ର "ଜେ -ଲିଡ଼ 2026"ଅନୁଷ୍ଠିତ

ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଥନୀତି ଆଲୋଚନା ଚକ୍ର "ଜେ- ଲିଡ୍ ୨୦୨୬" ଅନୁଷ୍ଠିତ ଯାଜପୁର, ୨୮/୦୨/୨୬:ଉତ୍ତମ କୁମାର ଦାଶ ଜିଲ୍ଲା ମହୋତ୍ସବ ଯଯାତି ଉପଲକ୍ଷେ ବ୍ୟାସନଗର ସ୍ଥିତ ଟାଉନହଲରେ "ଜେ - ଲିଡ ୨୦୨୬" ଯାଜପୁର ଯୁବ ସମ୍ବାଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। "ସାମ୍ପ୍ରତିକ ଅର୍ଥନୈତିକ ପରିଦୃଶ୍ୟ: ସମ୍ଭାବନା ଏବଂ ଆହ୍ଵାନ" ବିଷୟବସ୍ତୁକୁ ନେଇ ସେମିନାର କରାଯାଇଥିଲା। କାର୍ଯ୍ୟକ୍ରମକୁ ମାନ୍ୟବର କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ ଯୋଗ ଦେଇଥିଲେ। କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ ଅଭିଭାଷଣରେ ବିଶ୍ଵ ମାନଚିତ୍ରରେ ଯାଜପୁର ଜିଲ୍ଲାର ଅର୍ଥନୈତିକ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ସେହିଭଳି ଜିଲ୍ଲାପାଳ ଶ୍ରୀ କର ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ସ୍ଵାଗତ କରିବା ସହ ଏଭଳି ଆଲୋଚନା ଚକ୍ର ଆୟୋଜନ ପଛର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ମହୋତ୍ସବ ଆୟୋଜନ କେବଳ ନାଚ ଗୀତରେ ସୀମିତ ନରହି, ଏହା ସହିତ ବୌଦ୍ଧିକ ଆଲୋଚନା ମଧ୍ୟ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ। ଏହାଦ୍ବାରା ଜିଲ୍ଲାର ଛାତ୍ରଛାତ୍ରୀ ଯୁବ ପିଢ଼ି ଅର୍ଥନୈତିକ ପ୍ରଗତି ସମ୍ପର୍କରେ ବ୍ୟାବହାରିକ ଜ୍ଞାନ ପାଇବେ।ଅତୀତ ଓଡିଶାର ରାଜଧାନୀ ଥିବା ଯାଜପୁରର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବା ପାଇଁ ନୀତି ନିର୍ମାତା, ଶିଳ୍ପ ନେତୃତ୍ୱ, ବିଶିଷ୍ଟ ଅର୍ଥନୀତିଜ୍ଞମାନେ ଏହି ସମାରୋହରେ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମରେ ବକ୍ତା ଭାବେ ଅର୍ଥନୀତି ବିଶେଷଜ୍ଞ ତଥା ଆଇସିଆରଆଇଇଆର ପୂର୍ବତନ ନିର୍ଦ୍ଦେଶକ ଓ ସିଇଓ ଡ. ଦୀପକ ମିଶ୍ର, ଆଇଏମଆଇ ଭୁବନେଶ୍ୱରର ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ପ୍ରୀତିଶ କୁମାର ସାହୁ, ଉତ୍କଳ ବିଶ୍ଵବିଦ୍ୟାଳୟର ଆରବିଆଇ ଚେୟାର ପ୍ରଫେସର ସୁଧାକର ପାତ୍ର ଏବଂ ଟାଟା ଷ୍ଟିଲର କର୍ପୋରେଟ ବ୍ୟାପାର ଉପାଧ୍ୟକ୍ଷ ଶ୍ରୀ ଡିବି ସୁନ୍ଦର ରାମମ ଓ ଜିନ୍ଦଲ ଷ୍ଟେନଲେସର ମୁଖ୍ୟ ବିଜିନେସ ଅଧିକାରୀ ଶ୍ରୀ ଏସବି ଉପାଧ୍ୟାୟ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଡିପିଏମୟୁ ଉପ ନିର୍ଦ୍ଦେଶକ ଶ୍ରୀ ଅର୍ଚ୍ଚିତା ଦାସ, ୟୁସିସିଆଇଏଲର ସମ୍ପାଦକ ଡ. ସଞ୍ଜୀବ ମହାପାତ୍ର ଆଲୋଚନାରେ ସଂଯୋଜନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲାର ବିଭାଗୀୟ ଅଧିକାରୀ, ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

Feb 28, 2026 - 22:34
 0  1

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0