ଯାଜପୁରରେ ସଂଗ୍ରାମଙ୍କ ଶକ୍ତି ପ୍ରଦର୍ଶନ!,,

ଯାଜପୁରରେ ସଂଗ୍ରାମଙ୍କ ଶକ୍ତି ପ୍ରଦର୍ଶନ! ବିଜେପି ବିଜୟ ଉତ୍ସବରେ ହଜାର ହଜାର ଯୁବକଙ୍କ ଯୋଗଦାନ, ରାଜନୀତିରେ ବଢ଼ିଲା ଚର୍ଚ୍ଚା ଯାଜପୁର, ୭/୫: ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଉଲ୍ଲେଖନୀୟ ସଫଳତା ପରେ ଯାଜପୁର ସହରରେ ଦେଖିବାକୁ ମିଳିଛି ଏକ ଭବ୍ୟ ବିଜୟ ଉତ୍ସବ। ଯୁବ ବିଜେପି ନେତା ସଂଗ୍ରାମ କେଶରୀ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ବିଶାଳ ବାଇକ୍ ଶୋଭାଯାତ୍ରା ସହରର ରାଜନୈତିକ ପରିବେଶକୁ ସରଗରମ କରିଦେଇଛି। ରାଲିରେ ଯୁବ ସମର୍ଥକଙ୍କ ଅସାଧାରଣ ଭିଡ଼ ଓ ଉତ୍ସାହ ଦେଖି ଏବେ ସହରରେ ଗୋଟିଏ ଚର୍ଚ୍ଚା “ଯାଜପୁର ରାଜନୀତିରେ ସଂଗ୍ରାମଙ୍କ ଏଣ୍ଟ୍ରି କି ନୂଆ ସମୀକରଣ ତିଆରି କରିବ?ଏନ୍‌.ସି କଲେଜ ନିକଟରୁ ଆରମ୍ଭ ହୋଇଥିବା ଏହି ବିଶାଳ ରାଲି ମେଡିକାଲ ଛକ, ଗାନ୍ଧି ଛକ, ବଡ଼ବଜାର, ଗରିଆପୁର, ଯୋଡ଼ିକୁଅ ଦେଇ କୁସୁମା ପର୍ଯ୍ୟନ୍ତ ଯାଇଥିଲା। କୁସୁମା ନିକଟସ୍ଥ ପଡ଼ିଆରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ ହୋଇଥିଲା, ଯେଉଁଠାରେ ସଂଗ୍ରାମ ପାତ୍ର କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ। ଶତାଧିକ ବାଇକ୍, ଦଳୀୟ ପତାକା, ଢୋଲ ଓ “ଭାରତ ମାତା କୀ ଜୟ” ଧ୍ୱନିରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିଲା। ଆୟୋଜକଙ୍କ ଦାବି ଅନୁସାରେ, ଏହି ରାଲିରେ ୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଯୋଗଦେଇଥିଲେ। ରାଲିରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼ା. ଐଶ୍ୱର୍ଯ୍ୟା ବିଶ୍ୱାଳ, ଜିଲ୍ଲା ଉପସଭାପତି ସୁଶାନ୍ତ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅବିନାଶ ନାୟକଙ୍କ ସହ ବହୁ ଜିଲ୍ଲା ଓ ସହର ନେତୃତ୍ୱ ଉପସ୍ଥିତ ଥିଲେ। ତେବେ ସମଗ୍ର କାର୍ଯ୍ୟକ୍ରମର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଯୁବନେତା ସଂଗ୍ରାମ ପାତ୍ର। ରାସ୍ତାର ଦୁଇପାର୍ଶ୍ୱରେ ଲୋକମାନେ ଭିଡ଼ କରି ତାଙ୍କୁ ସ୍ୱାଗତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସଭାକୁ ସମ୍ବୋଧିତ କରି ସଂଗ୍ରାମ ପାତ୍ର କହିଥିଲେ ଯେ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ବିଜେପିକୁ ମିଳିଥିବା ଜନମତ କେବଳ ଏକ ସାଧାରଣ ନିର୍ବାଚନୀ ବିଜୟ ନୁହେଁ, ବରଂ ଏହା ଦେଶର ଜାତୀୟତାବାଦୀ ଚିନ୍ତାଧାରା, ବିକାଶମୂଳକ ରାଜନୀତି ଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସର ପ୍ରତିଫଳନ। ବିଶେଷକରି ପଶ୍ଚିମବଙ୍ଗରେ ମିଳିଥିବା ସଫଳତାକୁ ସେ “ଭାରତର ଗୌରବ ପୁନଃ ପ୍ରତିଷ୍ଠାର ନୂଆ ଅଧ୍ୟାୟ” ବୋଲି ବର୍ଣ୍ଣନା କରିଥିଲେ। ସଂଗ୍ରାମ ଆହୁରି କହିଥିଲେ ଯେ, ଯାଜପୁରରେ ବିଜେପି ସଂଗଠନ ଏବେ ଘରେ ଘରେ ପହଞ୍ଚୁଛି ଏବଂ ଯୁବପିଢ଼ୀଙ୍କ ଭିତରେ ଦଳ ପ୍ରତି ଆସ୍ଥା ବଢ଼ୁଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଶକ୍ତିଶାଳୀ ପ୍ରଦର୍ଶନ କରିବ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଥିଲେ। ସେ ବିରୋଧୀ ନେତୃତ୍ୱଙ୍କୁ ମଧ୍ୟ କଟାକ୍ଷ କରି କହିଥିଲେ ଯେ, “ଯାଜପୁରର ଲୋକ ଏବେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ଯୁବଶକ୍ତି ସେହି ପରିବର୍ତ୍ତନର ନେତୃତ୍ୱ ନେବ।” ସଂଗ୍ରାମଙ୍କ ଭାଷଣ ସମୟରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଦେଖାଯାଇଥିଲା ଅପାର ଉତ୍ସାହ। ଯୁବକମାନଙ୍କ ନାରାବାଜି ଓ ଉଦ୍ଦୀପନାରେ ସଭାସ୍ଥଳ ଗୁଞ୍ଜରି ଉଠିଥିଲା। ରାଜନୈତିକ ମହଲରେ ଏହି ରାଲିକୁ ସଂଗ୍ରାମ ପାତ୍ରଙ୍କ “ପାୱାର ସୋ” ଭାବେ ଦେଖାଯାଉଛି। ଯୁବ ମୁହଁ ଭାବେ ତାଙ୍କ ବଢ଼ୁଥିବା ପ୍ରଭାବ, ସଂଗଠନ କ୍ଷମତା ଓ ଜନସମର୍ଥନ ଏହି ରାଲି ମାଧ୍ୟମରେ ପୁଣିଥରେ ସାମ୍ନାକୁ ଆସିଛି।ବିଶେଷକରି ଯୁବ ଭୋଟରଙ୍କ ମଧ୍ୟରେ ସଂଗ୍ରାମଙ୍କ ପ୍ରତି ଆକର୍ଷଣ ଦ୍ରୁତ ଗତିରେ ବଢ଼ୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସହରରେ ଏବେ ଗୋଟିଏ ପ୍ରଶ୍ନ— ଏହି ବିଶାଳ ଶକ୍ତି ପ୍ରଦର୍ଶନ କି ଆଗାମୀ ଦିନରେ ଯାଜପୁରର ରାଜନୈତିକ ଚିତ୍ରକୁ ପରିବର୍ତ୍ତନ କରିଦେବ?

May 7, 2026 - 20:07
 0  4
ଯାଜପୁରରେ ସଂଗ୍ରାମଙ୍କ ଶକ୍ତି ପ୍ରଦର୍ଶନ!,,

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0