ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ ଯାଜପୁର, ୧୭/୦୩/୨୬:(ଓମ ମିଡିଆରୁ,ସରୋଜ କୁମାର ଧଳ) ଆସନ୍ତା ମାର୍ଚ୍ଚ ୨୦ ରୁ ୨୪ ତାରିଖ ଯାଏଁ ହେଉଥିବା ଜିଲ୍ଲା ମହୋତ୍ସବ ଯଯାତି-୨୦୨୬ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଭବନ ପଡ଼ିଆଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶ ପ୍ରତାପ ଶ୍ରୀମଲ ଯୋଗ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ କର ଜିଲ୍ଲା ମହୋତ୍ସବ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ମହୋତ୍ସବ ପୂର୍ବରୁ ମାର୍ଚ୍ଚ ୧୮ ରୁ ୨୦ ତାରିଖ ଯାଏଁ ହେଉଥିବା ବୈତରଣୀ ଆଳତୀ ଏବଂ ମାର୍ଚ୍ଚ ୧୮ ରେ ଅନୁଷ୍ଠିତ ହେବାକୁ ଥିବା ପଥ ଉତ୍ସବ ସମ୍ପର୍କରେ କହିଥିଲେ। ପଥ ଉତ୍ସବରେ ନୃତ୍ୟ ସଙ୍ଗୀତ ପରିବେଷଣ, ଲାଇଭ ସ୍କେଚିଂ, ଜୁମ୍ବା, ପାରମ୍ପରିକ କ୍ରୀଡ଼ା, ରଙ୍ଗୋଲି, ରକ୍ ବ୍ୟାଣ୍ଡ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜିଲ୍ଲାପାଳ କହିଥିଲେ। ଏହାସହ ମହୋତ୍ସବ ପାଞ୍ଚ ଦିନରେ ନିମନ୍ତ୍ରିତ ଅତିଥି, ବିଶିଷ୍ଟ ବ୍ୟକ୍ତିତ୍ଵ, ଓଲିଉଡ ଏବଂ ବଲିଉଡ କଳାକାର, ଲୋକକଳା, ମଞ୍ଚ  ସମ୍ମୁଖରେ ବସିବା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ କାର୍ଯ୍ୟସୂଚୀ ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେହିଭଳି ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶ ପ୍ରତାପ ଶ୍ରୀମଲ ମହୋତ୍ସବରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ, ସିସିଟିଭି କ୍ୟାମେରା ସ୍ଥାପନ, ପାର୍କିଂ ବ୍ୟବସ୍ଥା,  ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ ସୁରକ୍ଷା ଉପରେ ଗୁରୁତ୍ବ ଦେଇ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଯଯାତି ମହୋତ୍ସବର ପ୍ରଚାର ପାଇଁ ଏକ ଭିଡିଓ ଭ୍ୟାନ୍ କୁ ଜିଲ୍ଲାପାଳ ଏବଂ ଏସପି ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ଏସପି ଶିତିକଣ୍ଠ କାନୁନଗୋ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ମିଳିତ ସମନ୍ୱୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯଯାତି ମହୋତ୍ସବର ସଫଳ ଆୟୋଜନ ସହ ପ୍ରଚାର ପ୍ରସାର ଏବଂ ଲୋକଙ୍କ ମଧ୍ୟରେ ଅବଗତି ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

Mar 17, 2026 - 19:47
 0  9
ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0